ଭେଟି ଚଉତିଶା

ଭେଟି ଚଉତିଶା

ଶ୍ରୀ ଦୟାମାଧବ

 

( ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର କବି । ଜଣେ ଭକ୍ତଭାବେ ପରିଚିତ । କୃଷ୍ଣରସାତ୍ମକ କେତେକ ଗୀତ, ଚଉତିଶାର ସେ ସ୍ରଷ୍ଟା । ଗୋପାଙ୍ଗନାମାନେ କୃଷ୍ଣଙ୍କୁ ପାଇବା ପାଇଁ ପାଗଳିନୀ ହୋଇଛନ୍ତି । ବନ ମଧ୍ୟରେ ଖୋଜୁଛନ୍ତି । ଭଗବାନ-ଭକ୍ତର ଅପୂର୍ବ ମିଳନ ଘଟିଛି । କବିଙ୍କର ଗଭୀର ଭକ୍ତିମତ୍ତାର ଚିତ୍ର ଏଥିରେ ଆମେ ଦେଖୁ )

 

କୃଷ୍ଣ ଭେଟକୁ ସଖୀ ବୁଲନ୍ତି ବନେ ।

କାନ୍ତ ବିଚ୍ଛେଦ ମନ୍ତ୍ର ସୁମରି ମନେ ଗୋ ।

କହନ୍ତି ଗୋପୀ ।

କେଣେ ରହିଲା ଆମ୍ଭ ଆତ୍ମାସ୍ୱରୂପୀ ଗୋ ।।

ଖେଦନଦୀରେ ଦେଇଗଲ ଭସାଇ ।

ବହୁଦିନରୁ ଥିଲୁ ରସେ ଭସାଇ ଗୋ ।

ଖଣ୍ଡିପା ପାଇଁ ।

ଖୁଆଉଥିଲୁ ସୁଧା ଅମିୟ ନେଇ ଗୋ ।।

ଗିରି ଗହନ ଲତା କେଳି କଦମ୍ବ ।

ଗୁପତ କରି ଚାହିଁ ପରମାନନ୍ଦ ଗୋ ।

ଗଙ୍ଗା ଯମୁନା ।

ଗଲାଟି ପିଣ୍ଡୁ ପ୍ରାଣନାଥଙ୍କ ବିନା ଗୋ ।।

ଘନ ନିକୁଞ୍ଜ ଆଗୋ ମାଧବୀଲତା ।

ଘନଶ୍ୟାମ ବାରେକ କହ ବାରତା ଗୋ ।

ଘଟଣା କୁହ ।

ଘୋଡ଼ାଇ ରଖିଛ କି ଉଦିଆଚାନ୍ଦ ଗୋ ।।

ଆଗୋ ମାଳତୀ ଆଗେ କିଆ କେତକୀ ।

ଏକାଳେ ଆମ୍ଭେମାନେ ବଡ଼ ପାତକୀ ଗୋ ।

ଆମ୍ଭରି ନାହା ।

ଅନାଥ କରିଗଲ କେ ଅଛିସାହା ଗୋ ।।

ଚନ୍ଦ୍ରମଲ୍ଲିକା ଆଗୋ ଜାଈ ବୟଣା ।

ଚକ୍ରଧର ଭେଟାଅ କରି କରୁଣା ।

ଚମ୍ପା ଚହଟ ।

ଚନ୍ଦ୍ର କୁମୁଦ ବାରେ କରାଅ ଭେଟ ଗୋ ।।

କ୍ଷିତମଣ୍ଡଳେ ତାକୁ କେହୁ ପାରିବ ।

ଛନ୍ଦଥିଲା ତାହାକୁ କେଉଁ ଦଇବ ମୋ ।

ଛିଣ୍ଡାଇ ଗଲେ ।

ଛାଡ଼ିଲୁ ଘରଦ୍ୱାର ତାଙ୍କରି ବୋଲେ ଗୋ ।।

 

ଭାବାର୍ଥ- କୃଷ୍ଣଙ୍କୁ ଭେଟିବାକୁ ଗୋପୀମାନେ ବଣରେ ବୁଲୁଛନ୍ତି । କାନ୍ତ ବିଚ୍ଛେଦ ମନ୍ତ୍ରକୁ ସୁମରଣା କରି ସେମାନେ କହିଲେ- ଆମର ଆତ୍ମାସ୍ୱରୂପୀ କେଉଁଠି ରହିଲେ ? ସଖୀମାନେ ଖେଦଭରା କଣ୍ଠରେ କହୁଛନ୍ତି- ବହୁଦିନରୁ ଆମେ ତାଙ୍କୁ ଅମୃତ ଖୁଆଉଥିଲୁ । ରସରେ ଭସାଉଥିଲୁ-। ଏବେ ଆମକୁ ଖେଦନଦୀରେ ଭସାଇ ଦେଲ । ଗିରିଗହନ ଲତା କଦମ୍ବ ବୃକ୍ଷ ମୂଳେ ରହି ପରମାନନ୍ଦଙ୍କୁ ଗୁପ୍ତ ଭାବରେ କେତେ ଚାହିଁଛୁ । ଯମୁନା ତୀରରେ ଲୀଳା କରିଛୁ । କୃଷ୍ଣଙ୍କ ବିନା ଏବେ ପିଣ୍ଡରୁ ପ୍ରାଣଗଲା । ବନ ମଧ୍ୟରେ ଘୂରିଘୂରି ଗୋପୀମାନେ କୁଞ୍ଜ, ମାଧବୀଲତାକୁ ପଚାରୁଛନ୍ତି - ଆଗୋ ଘନ ନିକୁଞ୍ଜ, ମାଧବୀଲତା, ଘନଶ୍ୟାମଙ୍କ ଖବର କୁହ । କ’ଣ ଘଟିଛି ? ଉଦିଆ ଚାନ୍ଦଙ୍କୁ ତୁମେ ଘୋଡ଼ାଇ ରଖୁଛ କି ? ମାଳତୀ, କେତକୀ ଲତାକୁ ପୁଣି ପଚାରୁଛନ୍ତି- ଆଗୋ ମାଳତି, ଆଗୋ କେତକୀ, ଏବେ ଆମେ ବଡ଼ ପାପିନୀ । ଆମର ନାଥ ଆମକୁ ଅନାଥ କରିଗଲେ କିଏ ବା ସାହା ହେବ ? ଆଗୋ ଚନ୍ଦ୍ରମଲ୍ଲିକା, ଆଗୋ ଜାଈ ଫୁଲଲତା, ଦୟାକରି ଚକ୍ରଧର କୃଷ୍ଣଙ୍କ ସହିତ ଆମକୁ ଭେଟ କରାଇଦିଅ । ହେ ଚହଟ ଚମ୍ପା, ଚନ୍ଦ୍ର-କୁମୁଦ ପରି ତାଙ୍କ ସହିତ ଆମକୁ ଭେଟ କରାଅ । ସଂସାରରେ ତାଙ୍କ ସରି କିଏ ଅଛି ? ତାଙ୍କୁ କିଏ ବା ପାରିବ ? ବିଧାତା ଛନ୍ଦ କରି ଆମ ପାଖରୁ ଛଡ଼ାଇ ନେଲେ । ତାଙ୍କରି ରୋଲରେ ଆମେ ଘରଦ୍ୱାର ଛାଡ଼ିଲୁ ।

 

ଯେଉଁ ମୁରଲୀ ନାଦେ ଜଗତ ମୋହେ ।

ଯାହାକୁ ସୁରମୁନି କରନ୍ତି ଲୟେ ଗୋ ।

ବଜାଇ ସ୍ୱନ ।

ଦଣ୍ଡକ ମାତ୍ରେ ମୋହିଲେ ଆମରି ମନ ଗୋ ।।

ଝାଡ଼ ଭିତରେ ଆମମାନଙ୍କୁ ପୁଣି ।

ଝିମିଟକେ ଅନ୍ତର କଲେ କି ଜାଣ ଗୋ ।

ଝୁରୁଛୁ ଗୋଈ ।

ଝଲକ ଚନ୍ଦ୍ରମୁଖ ଦେଖିବା ପାଇଁ ।।

ନୀଳଜୀମୂତ କେଶୀ ମୟୂର କେଶୀ ।

ନୂଆ ବୟସୀ ମତ୍ତକୋକିଳ ଭାଷି ଯେ ।

ନପାଇ ହରି ।

ନିରାଶ ହୋଇ ସର୍ବେ ମନେ ବିଚାରି ହେ ।।

ଟିକିଏ ବିସ୍ମୟରେ ବୋଲନ୍ତି ରାଧା ।

ଟାଣପଣକୁ ତୁମ୍ଭେ ନ କରି ବାଧା ଗୋ ।

ଟଳିଲେ ମନ ।

ଟଙ୍କଧର ନ ପାନ୍ତି ଏହୁ ଦର୍ଶନ ଗୋ ।।

ଠିକେ ତୁମ୍ଭଙ୍କୁ କେହୁ ପାରିବ ଖୋଜି ।

ଠାବେ ନପାନ୍ତି ଗୋପୀ ତାହାରେ ଭଜି ଗୋ ।

ଠୁଳକୁ ଧର ।

ଠୁଳ ଶୂନ୍ୟ ରୂପକୁ ମନରେ ଧର ଗୋ ।।

ଡମ୍ବରୁ ମଧ୍ୟେ ଶୁଣି ପୂର୍ବରୁ ବାଣୀ ।

ଡାକିଲା ମାତ୍ରେ ରଖେ ରଥାଙ୍ଗପାଣି ହେ ।

ଡରି ପ୍ରହ୍ଲାଦ ।

ଡାକ ଶୁଣିଲେ ସ୍ତମ୍ଭ କରିଣ ଭେଦ ସେ ।।

ଢାଳେ ଗଜ ତାହାଙ୍କୁ କେତେ ଖୋଜିଲା ।

ଢାଳନ୍ତେ ପିଣ୍ଡ ପ୍ରାଣ ମଧ୍ୟେ ହେଜିଲା ଗୋ ।

ଢାଳେ ଦେଖିଲା ।

ଢାଳେ ଗଜ ଉଦ୍ଧାରେ ଚକ୍ର ପେଶିଲା ଗୋ ।।

 

ଭାବାର୍ଥ- ଯେଉଁ ମୁରଲୀ ନାଦ ଜଗତ ମୋହେ । ଯାହାକୁ ଦେବଗଣ, ମୁନିଋଷିମାନେ ଶ୍ରଦ୍ଧାର ସହ ଶୁଣିଥାନ୍ତି, ତାକୁ ବଜାଇ ଦଣ୍ଡକ ମଧ୍ୟରେ ଆମର ମନକୁ ମୋହିତ କରିଦେଲେ । ପୁଣି ଆମମାନଙ୍କୁ ଝାଡ଼ (ବଣ) ମଧ୍ୟରେ ଅନ୍ତର କରିଦେଲେ । ଆମେ ଗୋପାଳୁଣୀମାନେ ତାଙ୍କୁ ଝୁରୁଛି-। ତାଙ୍କ ଝଲକ ଚନ୍ଦ୍ରମୁଖକୁ ଦେଖିବା ପାଇଁ ମନ ହାଇଁପାଇଁ ହେଉଛି । ନୀଳମେଘ କେଶୀ, ମୟୂର କେଶୀ ସେ । ତାଙ୍କ କଣ୍ଠ ସ୍ଵର । ମତ୍ତ କୋକିଳର ସ୍ଵର ପରି । ବଣ ମଧ୍ୟରେ ଶ୍ରୀକୃଷ୍ଣଙ୍କୁ ନ ପାଇ ଗୋପାଙ୍ଗନାମାନେ ନିରାଶ ମନରେ ବିଚାରିଲେ- ଏବେ ଆମେ କ’ଣ କରିବୁ ? ସାମାନ୍ୟ ବିସ୍ମୟ ଭାବ ପ୍ରକାଶ କରି ରାଧା କହିଲେ- ତୁମ୍ଭେମାନେ ଟାଣ ପଣ ନ କରି ମନକୁ ଟଳାଇ ଦେଲ । ଶିବ ତାଙ୍କ ଦର୍ଶନ ପାଆନ୍ତି ନାହିଁ । ତୁମେ କୁଆଡୁ ଖୋଜି ପାରିବ ? ଶୂନ୍ୟରୂପକୁ ମନରେ ଧ୍ୟାନ କର । ସେ ଡାକିବା ମାତ୍ରେ ଶୁଣନ୍ତି । ପ୍ରହଲ୍ଲାଦର ଡାକ ଶୁଣି ସ୍ତମ୍ଭରୁ ବାହାରିଲେ ଓ ହିରଣ୍ୟକଶ୍ୟପକୁ ବଧ କଲେ । ବିପଦରେ ପଡ଼ି ଗଜ ଡାକ ଦେଲା । ତାକୁ ଉଦ୍ଧାର କରିବା ପାଇଁ ଚକ୍ର ପେଶି ନକ୍ର ନାଶ କଲେ ।

 

ଅତି ବିପଦ ବାଳୀ ସୁଗ୍ରୀକି ହେଲା ।

ଅନୁମାନ କରି ସେ କେତେ ଖୋଜିଲା ଗୋ ।

ଆପଣା ଚିତ୍ତେ ।

ଅଣୁମାତ୍ରକେ ଚିନ୍ତା ଭେଟିଲା ପଥେ ଗୋ ।।

ତୁମ୍ଭର ମନେ ତାକୁ କର ଗୋ ଲୟ ।

ତାଙ୍କ ଇଚ୍ଛାଏ ରସି ମୋହନ ରାୟ ଗୋ ।

ତରୁଣୀ ରାଶି ।

ତନୁମନ ଲଗାଅ ଗୋପ ବୟସୀ ଗୋ ।।

ଥିଲା ପାଷାଣ ହୋଇ ଅହଲ୍ୟାନାରୀ ।

ଥିଲା ସେ କେତେବେଳେ କହ ବିଚାରି ଗୋ ।

ଥୋଇ ଚରଣ ।

ଥିଲେ ତାହାକୁ ନାରୀ କଲେ ଆପଣ ଗୋ ।।

ଦ୍ୱାଦଶ ବନେ ପଶି କେତେ ଖୋଜିଲୁ ।

ଦୁଗ୍‌ଧ ଜଳେ କାୟା ମାତ୍ରେ ମଜ୍ଜିଲୁ ଗୋ ।

ଦୃଶ୍ୟ ନୋହିଲେ ।

ଦୟାସାଗର ହୋଇ ନିର୍ଦ୍ଦୟ ହେଲେ ଗୋ ।।

ଧରି ମନସୂତ୍ରରେ ବାନ୍ଧି ତାହାଙ୍କୁ ।

ଧ୍ରୁବଧ୍ୟାୟି ଅମର ହେଲେ ଯାହାଙ୍କୁ ଗୋ ।

ଧ୍ୟାୟି ଶବରୀ ।

ଧ୍ୟାନେ ଦେଖିଲେ ନିଜ ଗୃହେ ଶ୍ରୀହରି ଗୋ ।।

ନିଶ୍ଚଳ ମନେ ସୁଖୀ କର ଗୋ ଲୟ ।

ନିକଟେ ଦେଖିବାଟି ମୋହନ ରାୟ ଗୋ ।

ନୁହଁ ବିମୁଖ ।

ନବଘନ କାଳିଆ ଆସିବେ ଦେଖ ଗୋ ।।

ପରମରାଧା ସଖୀ ବଚନ ଶୁଣି ।

ପ୍ରତେ ପାଇଲେ ମନେ ବ୍ରଜତରୁଣୀ ଗୋ ।

ପ୍ରଭୁ ଚରଣ ।

ପରମାନନ୍ଦ ସଖାଆସେ ଶରଣ ଗୋ ।।

ଫୁଲବନରେ ପଶି ବଟମୂଳରେ ।

ଫୁଟି ବାସିଲେ ରାଈ କୁଞ୍ଜବନରେ ଗୋ ।

ଫୁଲଣା ହୋଇ ।

ଫୁଲ ଲୋଚନ ପୁଣି ଲାଜରେ ବଢ଼ୁ ଗୋ ।।

ବ୍ରଜ ତରୁଣୀଙ୍କର ନିଶ୍ଚଳ ମନ ।

ବିଜୟ କଲେ ରସି ଜଗଜ୍ଜୀବନ ଗୋ ।

ବିଜୁଳିମଣି ।

ବ୍ରଜମଣ୍ଡଳ ମନ ରଥାଙ୍ଗ ପାଣି ଗୋ ।।

 

ଭାବାର୍ଥ- ବାଳୀ ଭୟରେ ସୁଗ୍ରୀବ ବଣ ମଧ୍ୟରେ ଲୁଚି ଥିଲା । ପ୍ରଭୁଙ୍କୁ ଚିନ୍ତା କରି ମନ ମଧ୍ୟରେ କେତେ ସେ ଖୋଜିଲା । ସାମାନ୍ୟ ଧ୍ୟାନରେ ରାସ୍ତାରେ ପାଇଗଲା । ତୁମ୍ଭେମାନେ ତାଙ୍କୁ ମନ ଭିତରେ ଲୟ କର । ହେ ଗୋପାଙ୍ଗନାମାନେ, ତନୁମନ ତାଙ୍କ ପାଖରେ ଲଗାଅ । ଅହଲ୍ୟ ପାଷାଣ ହୋଇ ପଡ଼ିଥିଲେ । ପ୍ରଭୁ ତା’ ଉପରେ ପାଦ ଥାଇ ତାକୁ ନାରୀ ରୂପ ଦେଲେ । ଗୋପରମଣୀମାନେ କହିଲେ- ବହୁ ଜଙ୍ଗଲ ବୁଲି ତାଙ୍କୁ କେତେ ଖୋଜିଲୁ । କ୍ଷୀରରେ ପାଣି ମିଶିଲା ଭଳି ତାଙ୍କ କାୟାରେ ମଜିଗଲୁ । ତଥାପି ସେ ଆମକୁ ଦେଖାଦେଲେ ନାହିଁ । ଆମ ପ୍ରତି ଦୟାସାଗର ନିର୍ଦ୍ଦୟ ହେଲେ । ମନ ମଧ୍ୟରେ ତାଙ୍କୁ ବାନ୍ଧି ଧ୍ରୁବ ଅମର ହେଲେ । ଶବରୀ ଭକ୍ତି ଭାବ କରି ନିଜ ଘରେ ପ୍ରଭୁଙ୍କୁ ଦର୍ଶନ କଲା । ରାଧା ପୁଣି କହିଲେ- ହେ ସଖୀମାନେ, ନିଶ୍ଚଳ ମନରେ ପ୍ରଭୁଙ୍କୁ ଧ୍ୟାନ କର । ଖୁବ୍ ଶୀଘ୍ର ତାଙ୍କୁ ଦେଖିବ । ବିମୁଖ ହୁଅ ନାହିଁ । ନବଘନ କାଳିଆ ନିଶ୍ଚୟ ଆସିବେ । ରାଧାଙ୍କ ମୁଖରୁ ଏପରି ଶୁଣି ବ୍ରଜତରୁଣୀ ଗଣ ବିଶ୍ୱାସ କଲେ । ଗୋପାଙ୍ଗନାମାନଙ୍କ ମନ ଜାଣି ପ୍ରଭୁ ବନମାଳୀ ଫୁଲବନ ମଧ୍ୟରୁ ଫୁଟି ବାସିଲେ । ଗୋପ ତରୁଣୀମାନେ ନିଶ୍ଚଳ ମନରେ କୃଷ୍ଣଙ୍କୁ ଦର୍ଶନ କଲେ । ପ୍ରଭୁ ସେମାନଙ୍କ ମନକୁ ମୋହିତ କଲେ ।

ଭାବେ ଗୋପୀଙ୍କୁ ନେଇ କରନ୍ତି କୋଳ ।

ଭାବେ ଗୋପୀ ଗୋବିନ୍ଦ ହୋଇଲେ ଭୋଳ ଯେ ।

ଭାବ ବଢ଼ିଲା ।

ଭାବନ୍ତେ ଭାବ ପୁଣି ରସେ ବୁଡ଼ିଲା ଯେ ।।

ମରାଳ ପକ୍ଷୀ ଯେହ୍ନେ ଚାତକ ପାଇ ।

ଅତି ଆନନ୍ଦ କରି ରସାଇ ଦେଇ ଗୋ ।

ମଧୁକୁ ମାଛି ।

ମଉନେ ରହିଥାଇ ନ ପାରେ ମୂର୍ଚ୍ଛି ଗୋ ।।

ଯେଉଁରୂପେ କମଳ କୋଷରେ ଭୃଙ୍ଗ ।

ପଡ଼ିଣ ଚାହିଁଥାଇ ନ ଛାଡ଼େ ସଙ୍ଗ ଗୋ ।

ଜଣକେ ଜଣ ।

ଯଦୁ ଚନ୍ଦ୍ରରୂପକୁ ହେଲେ ଆପଣ ଗୋ ।।

ରତ୍ନ ଶଯ୍ୟା ଉପରେ କୁସୁମ ଶଯ୍ୟା ।

ରହିଲେ ଗୋପୀ କୃଷ୍ଣ ହରାଇ ଲଜ୍ୟା ଗୋ ।

ରସ ବଢ଼ିଲା ।

ରସ ସରିତେ ଜ୍ଞାନ ଭେଳା ବୁଡ଼ିଲା ଗୋ ।।

ଲଗାଇ ମୁଖେ ମୁଖ ଉରରେ ଉର ।

ଲୀଳା ଲାବଣ୍ୟନିଧି ବସନପୁର ଗୋ ।

ଲମ୍ପଟ ରାଜା ।

ଲୋଟି ଭିଡ଼ନ୍ତେ ଜ୍ଞାନ କରଇ ତେଜ୍ୟା ଗୋ ।।

ବିଦ୍ୟୁ ରଙ୍ଗକୁ କାଳରାହୁ ଗ୍ରାସିଲା ।

ବାମ ଅଙ୍ଗକୁ କୃଷ୍ଣ ଯେହ୍ନେ ଦିଶିଲା ଗୋ ।

ବଢ଼ିଲା କେଳି ।

ବୃକ୍ଷଲତା ମାନେ ଯେ ଚାମର ଢାଳି ଗୋ ।।

 

ଭାବାର୍ଥ- ରସିକିଆ କୃଷ୍ଣ ଭାବବିହ୍ୱଳ ହୋଇ ଗୋପୀଙ୍କୁ କୋଳ କଲେ । ସେମାନଙ୍କ ଭାବରେ କୃଷ୍ଣ ଭୋଳ ହୋଇଗଲେ । ଉଭୟଙ୍କ ମଧ୍ୟରେ ଭାବ ବଢ଼ିଲା । ଉଭୟେ ପୁଣି ଭାବ ରସରେ ବୁଡ଼ିଲେ । କଂସ ଚାତକକୁ ଦେଖ୍ ଖୁସି ହେଲା ଭଳି, କୃଷ୍ଣ ଗୋପୀମାନଙ୍କୁ ଆନନ୍ଦରେ ରସାଇଲେ । ମଧୁକୁ ମହୁମାଛି ମୂଛି ନ ପାରିଲା ଭଳି କୃଷ୍ଣ । ସେମାନଙ୍କୁ ଛାଡ଼ି ପାରିଲେ ନାହିଁ । ପଦ୍ମଫୁଲ କୋଷ ମଧ୍ୟରେ ଭ୍ରମର ରହି ସଙ୍ଗ ନ ଛାଡ଼ିଲା ପ୍ରାୟ ଗୋପୀମାନେ ଜଣ ଜଣ ହୋଇ କୃଷ୍ଣଙ୍କୁ ଆପଣେଇ ନେଲେ । ରତ୍ନଶଯ୍ୟ ଉପରେ କୁସୁମ ଶଯ୍ୟା କଲେ । ଲିଜା ଛାଡ଼ି କୃଷ୍ଣଙ୍କ ସଙ୍ଗରେ ମିଳିତ ହେଲେ । ଦୁହିଁଙ୍କ ମଧ୍ୟରେ ରସ ବଢ଼ିଲା । ରସ ନଦୀରେ ସେମାନଙ୍କର ଜ୍ଞାନ ଭେଳା ବୁଡ଼ିଲା । ମୁଖକୁ ମୁଖ, ଛାତିକୁ ଛାତି ମିଶାଇ ପରସ୍ପରକୁ ସେମାନେ ଆଶ୍ଳେଷି ନେଲେ । ଲମ୍ପଟ ରାଜା କୃଷ୍ଣ ଗୋପୀଙ୍କୁ ଭିଡ଼ିଲେ । ସେମାନଙ୍କର ଜ୍ଞାନ ହଜିଗଲା । ଏହା ଦେଖୁ ମନେ ହେଲା, ଯେମିତି ବିଦ୍ୟୁତ୍ ରଙ୍ଗର ଅଙ୍ଗକୁ (ରାଧାଙ୍କ ଅଙ୍ଗ) କାଳ ରାହୁ (କୃଷ୍ଣଙ୍କ ଅଙ୍ଗ) ଗ୍ରାସିଛି । ବାମ ଅଙ୍ଗକୁ କୃଷ୍ଣ ଯେମିତି ଦିଶିଲେ । କ୍ରମଶଃ କେଳି ବଢ଼ିଲା । ସେମାନଙ୍କ ଉପରେ ବୃକ୍ଷଲତାମାନେ ଚାମର ଢାଳିବାକୁ ଲାଗିଲେ ଅର୍ଥାତ୍ ପବନରେ ସେ ସବୁ ହଲିଲେ ।

 

ସମସ୍ତ ପଶୁ ପକ୍ଷୀ କୋକିଳ ରାବ ।

ଶାରୀ ସାରସପକ୍ଷୀ କଲେକ ଭାବ ଗୋ ।

ସାରି ରମଣ ।

ଶ୍ରୀମୁଖେ କେଉଁ ଗୋପୀ ଦ୍ୟନ୍ତି ଚୁମ୍ବନ ଗୋ ।।

ସମସ୍ତ ଗୋପୀ ମଧ୍ୟେ ବିଜେ ଶ୍ରୀହରି ।

ଶ୍ରୀମତୀକି କୃଷ୍ଣ ଯେ କୋଳରେ ଧରି ଗୋ ।

ଶୋଭା ଦିଶନ୍ତି ।

ଶୂନ୍ୟେ ଚନ୍ଦ୍ରମା ଯେହ୍ନେ ତାରକାପନ୍ତି ଗୋ ।।

ସମସ୍ତେ କହୁଛନ୍ତି ବିନୟ ବାଣୀ ।

ସ୍ନେହଛାଡ଼ି ନ ପାରେ ଶାରଙ୍ଗପାଣି ଯେ ।

ସମସ୍ତେ କିଣା ।

ଶ୍ରୀପଦେ ରଖ ମତି କରି କରୁଣା ଗୋ ।।

ହରିଣୀ ନୟନୀଙ୍କ ବଚନ ଶୁଣି ।

ହରି ବୋଇଲେ ତୁମ୍ଭେ ମୋ ପ୍ରାଣ ମିତଣୀ ଗୋ ।

ହରିବା ଚିତ୍ତ ।

ହୋଇଛି ତୁମ୍ଭ ପାଇଁ ଗୋପରେ ଜାତ ଗୋ ।।

ଛନ୍ଦେ କଲି କୃଷ୍ଣ କେଳି କାହାଣୀ ।

କ୍ଷମେ ଗୋପ ଗୋବିନ୍ଦ ଗୋପରେ ଭଣି ଯେ ।

ଛ’ଛନ୍ଦେ ଭାବେ ।

ଛାର ଦୟାମାଧବ ସେ ପାଦେ ସେବେ ଯେ ।।

 

ଭାବାର୍ଥ- କୃଷ୍ଣ-ଗୋପୀମାନଙ୍କ ଲୀଳା ଖେଳ ଚାଲିଥିବା ବେଳେ ପଶୁପକ୍ଷୀ, କୋଇଲି ରାବରେ ବନଭୂମି ମୁଖରିତ ହେଲା । ଶାରୀ, ସାରସପକ୍ଷୀ ଭାବରେ ମଜିଗଲେ, କେଉଁ ଗୋପୀ ଶ୍ରୀକୃଷ୍ଣଙ୍କ ମୁଖରେ ଚୁମ୍ବନ ଦେଲା ତ କିଏ ତାଙ୍କୁ କୋଳେଇ ନେଲା । ସମସ୍ତ ଗୋପୀଙ୍କ ମେଳରେ ଶ୍ରୀକୃଷ୍ଣ ବିଜେ କରିଛନ୍ତି । ନିର୍ମଳ ଆକାଶରେ ତାରକା ମେଳରେ ଚନ୍ଦ୍ର ଯେପରି ଶୋଭା ପାଉଥାଏ- ସେମିତି ଶ୍ରୀମତୀ ରାଧାଙ୍କୁ କୋଳରେ ଧରି ଶ୍ରୀକୃଷ୍ଣ ଶୋଭା ପାଉଛନ୍ତି । ସମସ୍ତ ଗୋପୀ ରାଧାକୃଷ୍ଣଙ୍କୁ ବିନୟବାଣୀ । ବା ହାସପରିହାସ କଥା କହୁଛନ୍ତି । ଗୋପୀମାନଙ୍କ ପାଖରୁ କୃଷ୍ଣ ସ୍ନେହ ଛାଡ଼ି ପାରିଲେ ନାହିଁ । ସମସ୍ତେ ପ୍ରଭୁଙ୍କ ପାଦ ତଳେ ନିଜକୁ ଜାଳି ଦେଲେ । ମୃଗନେତ୍ରୀ ଗୋପୀମାନଙ୍କ କୋମଳ ବଚନମାନ ଶୁଣି କୃଷ୍ଣ କହିଲେ ତୁମେମାନେ ମୋ ପ୍ରାଣର ମିତଣୀ । ମୋ ମନକୁ ହରି ନେଇଛି । ମୁଁ ତୁମମାନଙ୍କ ପାଇଁ ଗୋପରେ ଜନ୍ମ ନେଇଛି । କବି ଦୟାମାଧବ କହୁଛନ୍ତି- ହେ କରୁଣାସାଗର ହରି, ତୁମକୁ ଧାନ କରି ଏ କୃଷ୍ଣ କେଳି କାହାଣୀ ରଚନା କଲି ।